ନୂଆଦିଲ୍ଲୀ ୨୬।୦୬; ଗୁଗୁଲ୍ ଉପାଧ୍ୟକ୍ଷ ଚନ୍ଦ୍ରଶେଖର ଥୋଟା । ଗୁରୁବାର ତିରୁମାଲା ତିରୁପତି ଦେବସ୍ଥାନମର ଏସବି ପ୍ରାଣଦାନ ଟ୍ରଷ୍ଟକୁ ୧ କୋଟି ଟଙ୍କା ଦାନ କରିଛନ୍ତି। ଚନ୍ଦ୍ରଶେଖର ତିରୁମାଲାରେ ଟିଟିଡି ଅଧ୍ୟକ୍ଷ ବିଆର ନାଇଡୁଙ୍କୁ ଏହି ଚେକ୍ ପ୍ରଦାନ କରିଛନ୍ତି। ମନ୍ଦିର କମିଟି ପକ୍ଷରୁ ଏହି ଦାନ ସମ୍ପର୍କରେ ସୂଚନା ଦିଆଯାଇଛି।
ମନ୍ଦିର ସଂସ୍ଥା କହିଛି ଯେ, ଗୁଗୁଲ୍ ଉପାଧ୍ୟକ୍ଷ ଚନ୍ଦ୍ରଶେଖର ଗୁରୁବାର ଟିଟିଡିର ଏସବି ପ୍ରାଣଦାନ ଟ୍ରଷ୍ଟକୁ ୧ କୋଟି ଟଙ୍କା ଦାନ କରିଛନ୍ତି। ମନ୍ଦିର ନଗରୀରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକ ସମୟରେ ଟିଟିଡି ଅଧିକାରୀମାନେ ଦାତାଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି।
ଚନ୍ଦ୍ରଶେଖର ଥୋଟା ଦର୍ଶନ ପାଇଁ ଅନେକ ଥର ତିରୁମାଲା ତିରୁପତି ଦେବସ୍ଥାନମକୁ ଆସିଛନ୍ତି। ସେ ପୂର୍ବରୁ ମଧ୍ୟ ଅନେକ ଜିନିଷ ଦାନ କରିଛନ୍ତି। ହେଲେ ଏହା ପ୍ରଥମ ଥର ପାଇଁ ସେ ବିପୁଳ ପରିମାଣର ଦାନ କରିଛନ୍ତି। ଏହି କାରଣରୁ ତାଙ୍କ ଦାନକୁ ନେଇ ଏବେ ସବୁଠି ଆଲୋଚନା ହେଉଛି।
ଦେଶର ସବୁଠାରୁ ଧନୀ ଟ୍ରଷ୍ଟ, ତିରୁପତି
ତିରୁପତି ହେଉଛି ବିଶ୍ୱର ସବୁଠାରୁ ଧନୀ ମନ୍ଦିର ଟ୍ରଷ୍ଟ। ୨୦୨୪ ମସିହାର ଏକ ରିପୋର୍ଟ ଅନୁଯାୟୀ, ମନ୍ଦିର ଟ୍ରଷ୍ଟ ୨୦୨୪ ମସିହାରେ ୧୧୬୧ କୋଟି ଟଙ୍କାର ଏଫଡି କରିଥିଲା। ଏହା ଏପର୍ଯ୍ୟନ୍ତ ସର୍ବାଧିକ ଏଫଡି ଥିଲା। ଏହା ପରେ, ଟ୍ରଷ୍ଟର ବ୍ୟାଙ୍କ ଗୁଡ଼ିକରେ ମୋଟ ଏଫଡି ୧୩୨୮୭ କୋଟି ଟଙ୍କା ହୋଇଛି। ଏହା ଦେଶର ଏକମାତ୍ର ମନ୍ଦିର । ଯାହା ଗତ ୧୨ ବର୍ଷ ମଧ୍ୟରେ ବର୍ଷ ପରେ ବ୍ୟାଙ୍କରେ ୫୦୦ କୋଟି ଟଙ୍କା କିମ୍ବା ତା'ଠାରୁ ଅଧିକ ଜମା କରିଆସୁଛି। ତିରୁମାଲା ମନ୍ଦିରକୁ ପ୍ରତିବର୍ଷ ପ୍ରାୟ ଏକ ଟନ୍ ସୁନା ଦାନ ଆକାରରେ ମିଳିଥାଏ। ଏହି କାରଣରୁ ଏହା ବିଶ୍ୱର ସବୁଠାରୁ ଧନୀ ଟ୍ରଷ୍ଟ।